ଦାଦନ ଖଟିବାକୁ ଯାଇ ଜଣେ ମୃତ ଓ ଜଣେ ଗୁରୁତର।

ରାୟଗଡ଼ା (ଓ.ଏନ.ଟି) : ନିଜ ଅଂଚଳରେ କାମ ନପାଇ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି ଯୁବକଯୁବତୀ । ତେବେ ନାବାଳକ ମଧ୍ୟ କାମ ପାଇଁ ଯାଇ ରୋଗାକ୍ରାନ୍ତ ହୋଇ ଚିକିତ୍ସା ନପାଇ ମୃତ୍ୟୁ ହେବା ଘଟଣା ଏବେ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ କାଶୀପୁର ବ୍ଲକ ଟିକିରି ପଂଚାୟତର ମକାପଦର ଗ୍ରାମର ଦୁଇ ଭାଇ ମହେଶ୍ୱର ମାଝି(୨୦) ଏବଂ ନାବାଳକ ରଙ୍ଗାଧର ମାଝି(୧୭) ୪ମାସ ତଳେ ପଡ଼ୋଶୀ ରାଜ୍ଯ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ଜିଲ୍ଲା ପାଲମନପେଟା ସ୍ଥିତ ଚିଙ୍ଗୁଡ଼ି ଫେକ୍ଟ୍ରିକୁ କାମ କରିବାକୁ ଯାଇଥିଲେ । ସେଠାରେ କାମ କରୁଥିବା ସମୟରେ ନଭେମ୍ବର ମାସରେ ରଙ୍ଗାଧରଙ୍କୁ ଜ୍ୱର ହୋଇଥିଲା । ତେବେ ସମ୍ପୃକ୍ତ ଫେକ୍ଟୋରି ମାଲିକ ତାଙ୍କୁ କୌଣସି ଚିକିତ୍ସା ସୁବିଧା ଯୋଗାଇବା ବଦଳରେ କାମ କରାଇଥିଲେ । ସାନ ଭାଇ ଜ୍ୱରରେ ପୀଡ଼ିତ ହୋଇ କାମ କରିବା ବେଳେ ବଡ଼ ଭାଇ ମହେଶ୍ୱର ମଧ୍ୟ ପରବର୍ତି ସମୟରେ ଜ୍ୱରରେ ପୀଡ଼ିତ ହୋଇଥିଲେ । ଫଳରେ ଚିକିତ୍ସା ନପାଇ ଜ୍ୱରରେ କାମ କରି ଦୁଇ ଭାଇଙ୍କ ରୋଗ ଦିନକୁ ଦିନ ବଢ଼ି ଚାଲିଲା । ଏଭଳି ସମୟରେ ସଠିକ୍ ଭାବେ ଖାଇବାକୁ ମଧ୍ୟ ମିଳୁନଥିଲା । ଅସହ୍ୟ ହେବାରୁ ଶେଷରେ ଦୁଇ ଭାଇ ଶନିବାର ଦିନ ଲୁଚି ବିଶାଖାପାଟଣା ଆସି ଟ୍ରେନ ଯୋଗେ ରାୟଗଡ଼ା ପହଂଚିଥିଲେ । ରାୟଗଡ଼ାରେ ସାନ ଭାଇ ରଙ୍ଗାଧରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଦୁଇ ଭାଇ ଶନିବାର ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ତେବେ ଏହାର କିଛି ସମୟ ପରେ ନାବାଳକ ରଙ୍ଗାଧରଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ବଡ଼ ଭାଇ ମହେଶ୍ୱର ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଚିକିତ୍ସିତ ଅଛନ୍ତି । ମହେଶ୍ୱର ଓ ତାଙ୍କ ପରିବାରବର୍ଗଙ୍କ କହିବାନୁସାରେ ସେଠାରେ ସମୟରେ ଖାଇବାକୁ ମିଳୁନଥିଲା କି ଦରମା ମଧ୍ୟ ଠିକ୍ ସମୟରେ ମିଳୁନଥିଲା । ତେଣୁ ସେମାନେ ସେଠାରୁ ଲୁଚି ଆସି ରାୟଗଡ଼ାକୁ ଫେରିଥିଲେ। ରଙ୍ଗାଧରଙ୍କ ତାଙ୍କ ପରିବାର ଏକମାତ୍ର ରୋଜଗାକ୍ଷମ ରହିଥିବା ବେଳେ ବର୍ତମାନ କାହା ଭରସାରେ ପରିବାର ବଂଚିବେ ସେନେଇ ଚିନ୍ତିତ ପରିବାରବର୍ଗ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ଜିଲ୍ଲାରେ ଶ୍ରମ ବିଭାଗ କାର୍ଯ୍ୟାଳୟ ଓ ଅଧିକାରୀ ରହିଥିଲେ ମଧ୍ୟ ଅଂଚଳର ଯୁବକଯୁବତୀ ବାହାରକୁ ଦାଦନ ଖଟିବାକୁ ଗଲେ ବିଭାଗ ପାଖରେ କୌଣସି ସୂଚନା ନାହିଁ। ଅଚଂଳର କେତେ ଯୁବକଯୁବତୀ ଦାଦନ ପାଇଁ ବାହାରକୁ ଯାଉଛନ୍ତି ସେନେଇ ସଠିକ୍ ତଥ୍ୟ ରହୁନାହିଁ । ଯାହାର ପରିଣାମ ସ୍ୱରୂପ ନାବାଳକ ମଧ୍ୟ ଟଙ୍କା ରୋଜଗାର କରିବାକୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି । ପ୍ରକୃତ ତଦନ୍ତ କରାଗଲେ ଏହିଭଳି ବହୁ ନାବାଳକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ତଥ୍ୟ ମିଳିପାରିବ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି । ତେବେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରମତୀ ଅନୁଷୀୟା ମାଝୀ ପହଞ୍ଚି ଗୁରୁତରଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ କୁଁ ସ୍ଥାନାନ୍ତରିତ କରିଥିବା ବେଳେ ମୃତ ଗଙ୍ଗାଧରଙ୍କ ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରଯାଇଛି।
What's Your Reaction?






