ଲାଞ୍ଚ ନେଇ ରଙ୍ଗେହାତ ଛନ୍ଦି ହେଲେ ସରକାରୀ ବାବୁ ।

Jun 23, 2026 - 23:13
Jun 23, 2026 - 23:37
 0  160
ଲାଞ୍ଚ ନେଇ ରଙ୍ଗେହାତ ଛନ୍ଦି ହେଲେ ସରକାରୀ ବାବୁ ।

ଭିଜିଲାନ୍ସ ଜାଲରେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟନାୟକ।

ବିଦାୟ ବେଳେ ପିଠିରେ ପଡ଼ିଲା ଭିଜିଲାନ୍ସ କୋରଡ଼ା

ରାୟଗଡ଼ା (ଓଏନଟି) : ଦୁର୍ନୀତିଖୋର ସରକାରୀ ବାବୁଙ୍କ ବିରୋଧରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟନାୟକ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଚଳିତ ମାସରେ ହିଁ ସେ ଚାକିରିରୁ ଅବସର ନେଇଥାନ୍ତେ। ମାତ୍ର ଅବସରର ମାତ୍ର ୭ ଦିନ ପୂର୍ବରୁ ତାଙ୍କ ପାପର ମାଠିଆ ଭାଙ୍ଗିଛି। ଏହି ଘଟଣା ପରେ କେବଳ ରାୟଗଡ଼ା ନୁହେଁ, ବରଂ ଭୁବନେଶ୍ୱର ଓ ନୟାଗଡ଼ରେ ମଧ୍ୟ ଏକକାଳୀନ ଚଢ଼ାଉ ଜାରି ରହିଛି। ବିଲ୍‌ କରାଇଦେବା ନିମନ୍ତେ ଜଣେ ଠିକାଦାରଙ୍କୁ ୨ ଲକ୍ଷ ଟଙ୍କା ଦାବି କରିଥିଲେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟନାୟକ। ଏନେଇ ସମ୍ପୃକ୍ତ ଠିକାଦାର ଜଣକ ଦୁର୍ନୀତି ନିବାରଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ପୂର୍ବ ଯୋଜନା ଅନୁସାରେ, ଠିକାଦାର ଜଣକ ଯେତେବେଳେ ଉକ୍ତ ୨ ଲକ୍ଷ ଟଙ୍କା ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନକୁ ନେଇ ଦେଇଥିଲେ, ସେତିକି ବେଳେ ସେଠାରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସର ଏକ ୧୦ ଜଣିଆ ସ୍ପେଶାଲ ଟିମ୍‌ ଚଢ଼ାଉ କରିଥିଲା। ରାୟଗଡା ଭିଜିଲାନ୍ସ ଡି.ଏସ.ପି ସୂର୍ଯ୍ୟକାନ୍ତି ଟାକ୍ରୀ ଓ ଡି.ଏସ.ପି ଅଭୟ ପ୍ରଧାନଙ୍କ ନେତୃତ୍ୱରେ ଏହି ସଫଳ ଚଢ଼ାଉ କରାଯାଇଛି। ନିର୍ବାହ ଯନ୍ତ୍ରୀଙ୍କ ଠାରୁ କେମିକାଲ୍ ବୋଳା ରଙ୍ଗବୋଳା ଟଙ୍କା ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ, ସ୍ଥାନୀୟ କଣ୍ଟ୍ରାକ୍ଟରମାନେ ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ନିର୍ବାହୀ ଯନ୍ତ୍ରୀଙ୍କ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲା ଏବଂ ଭୁବନେଶ୍ୱର ସ୍ଥିତ ବାସଭବନରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଜୋରଦାର ଚଢ଼ାଉ ଚାଲିଛି।

What's Your Reaction?

like

dislike

love

funny

angry

sad

wow