୭୪ତମ ଜନ୍ମଦିନ ପାଳିଲେ ଭାସ୍କର ରାଓ, ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ

Rayagada News

Jul 23, 2026 - 23:51
 0  133
୭୪ତମ ଜନ୍ମଦିନ ପାଳିଲେ ଭାସ୍କର ରାଓ, ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ

ରାୟଗଡ଼ା (ଓ ଏନ୍ ଟି) : ଅଭିବକ୍ତ କୋରାପୁଟ ଜିଲ୍ଲାର ପ୍ରଭାବଶାଳୀ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏବଂ ବିଜୁ ସ୍ୱାଭିମାନ ମଞ୍ଚର ଆବାହକ ଓ ସଭାପତି ଏନ. ଭାସ୍କର ରାଓଙ୍କ ୭୪ତମ ଜନ୍ମଦିନ ଆଜି ଅତ୍ୟନ୍ତ ଉତ୍ସାହ ଓ ଉଲ୍ଲାସର ସହିତ ପାଳିତ ହୋଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ତାଙ୍କ ସମର୍ଥକ, ପ୍ରଶଂସକ ଏବଂ ନେତା-କର୍ମୀମାନେ ବହୁ ଆଡମ୍ବରରେ ଏହି ଜନ୍ମଦିନ ଉତ୍ସବ ପାଳନ କରିଛନ୍ତି। ରାୟଗଡ଼ାସ୍ଥିତ ତାଙ୍କ ବାସଭବନରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଶୁଭେଚ୍ଛୁମାନେ ପହଞ୍ଚି ତାଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଲାଳବିହାରି ହିମିରିକା, ବାନଗାଡି ତିରୁପତି, ଇପିଲି ସନ୍ୟାସୀ ରାଜୁ, ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହର ପ୍ରସାଦ ହେପୃକା, କାଉନସିଲର ସନ୍ତୋଷ କୁମାର ଦଳେଇ, ଶ୍ରମିତା ପାଢ଼ୀ, ସୁଜାତା ପାଳ, ଏବଂ ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପୁଲକା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଜେପି ନେତା ଶିବ ପଟ୍ଟନାୟକ, ଗୁଣୁପୁର ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଏବଂ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧିମାନେ ଯୋଗଦେଇ ଶ୍ରୀ ରାଓଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

ବାସଭବନରେ ଶୁଭେଚ୍ଛା ଗ୍ରହଣ କରିବା ପରେ, ସ୍ଥାନୀୟ ହୋଟେଲ ତେଜସ୍ୱୀ ସମ୍ମୁଖ ପଡ଼ିଆ ଠାରେ ଏକ ସ୍ୱତନ୍ତ୍ର ଜନ୍ମଦିନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେଠାରେ ଶ୍ରୀ ରାଓ କେକ କାଟିଥିବା ବେଳେ ବହୁ ସଂଖ୍ୟାରେ ସମର୍ଥକ ଓ ପ୍ରଶଂସକମାନେ ଉପସ୍ଥିତ ରହି ତାଙ୍କର ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ।

ରାୟଗଡ଼ା ଜିଲ୍ଲାର ରାଜନୈତିକ ଇତିହାସରେ ଏନ. ଭାସ୍କର ରାଓ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଓ ଜନପ୍ରିୟ ନେତା ଭାବେ ପରିଚିତ। ପ୍ରାୟ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ସେ ସକ୍ରିୟ ରାଜନୀତିରେ ରହି ଜନସେବା କରିଆସୁଛନ୍ତି। ଆଜି ୭୪ ବର୍ଷ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ତାଙ୍କର ସକ୍ରିୟତା ଏବେ ବି ଅବ୍ୟାହତ ରହିଛି। ୧୯୯୦ ମସିହାରେ ଜନତା ଦଳରୁ ସେ ନିଜର ରାଜନୀତି ଜୀବନ ଆରମ୍ଭ କରିଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦୀର୍ଘ ସମୟ ବିଜୁ ଜନତା ଦଳରେ ସଫଳତାର ସହ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ନିଜ ସମର୍ଥକମାନଙ୍କ ମତାମତକୁ ସମ୍ମାନ ଜଣାଇ ସେ 'ବିଜୁ ସ୍ୱାଭିମାନ ମଞ୍ଚ' ନାମରେ ଏକ ସ୍ୱାଧୀନ ରାଜନୈତିକ ଦଳ ଗଠନ କରିଛନ୍ତି। ତାଙ୍କର ଏହି ନୂତନ ପଦକ୍ଷେପ ରାୟଗଡ଼ ଜିଲ୍ଲାର ରାଜନୈତିକ ସମୀକରଣରେ ନୂତନ ଚର୍ଚ୍ଚା ସୃଷ୍ଟି କରିବା ସହିତ ଶାସକ ଓ ବିରୋଧୀ ଉଭୟ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

What's Your Reaction?

like

dislike

love

funny

angry

sad

wow