ଉତ୍କଳ ସାମ୍ବାଦିକ ସଂଘର ସପ୍ତମ ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ପାଳିତ।
ରାୟଗଡ଼ା (ଓ ଏନ୍ ଟି) : ରାୟଗଡ଼ା ସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିଅମ୍ରେ ଉତ୍କଳ ସାମ୍ବାଦିକ ସଂଘ ରାୟଗଡ଼ା ଶାଖାର ସପ୍ତମ ବାର୍ଷିକ ଉତ୍ସବ ବେଶ୍ ଆକର୍ଷଣୀୟ ଏବଂ ଉତ୍ସାହର ସହ ପାଳିତ ହୋଇଯାଇଛି।
ରାଜ୍ୟ ତଥା ଜାତୀୟ ସ୍ତରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଏଥିରେ ଯୋଗଦେଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା, ସୁରକ୍ଷା ଏବଂ ସମାଜ ବିକାଶରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରିଛନ୍ତି। ମୁଖ୍ୟ ସଭାକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କୁନି କୁନି କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେମାନଙ୍କର ଆକର୍ଷକ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟ ଉପସ୍ଥିତ ଦର୍ଶକ ଓ ଅତିଥିମାନଙ୍କ ମନମୋହିଥିଲା।
ଏହି କାର୍ଯ୍ୟକ୍ରମରେ ଜାତୀୟ ପେସାଦାର ପତ୍ରକାର ମହାସଂଘର ଉପାଧ୍ୟକ୍ଷ ଶ୍ରୀ ହେମନ୍ତ ତିୱାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସେହିପରି ଜାତୀୟ ପେସାଦାର ପତ୍ରକାର ମହାସଂଘର ସାଧାରଣ ସମ୍ପାଦକ ସିଦ୍ଧାର୍ଥ କଲହଂସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗଣମାଧ୍ୟମର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସଭାରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ବୃତ୍ତିଗତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସହ ଜନସାଧାରଣଙ୍କୁ ସାମାଜିକ ନ୍ୟାୟ ଦେବା ଦିଗରେ ପ୍ରଶାସନର ସହଯୋଗ ନେଇ ସମସ୍ତ ସାମ୍ବାଦିକଙ୍କୁ ଏକାଠି ଆଗେଇ ଆସିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ସମାଜର ବିକାଶରେ ଗଣମାଧ୍ୟମ ଏକ ପ୍ରମୁଖ ସେତୁ ଭୂମିକା ଗ୍ରହଣ କରୁଛି ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା।
ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ କିପରି ସୁରକ୍ଷା ପାଇବେ ଏବଂ ପେନସନ୍ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବ, ସେନେଇ ରାଜ୍ୟ ସଂଘ ପକ୍ଷରୁ ସରକାରଙ୍କ ସହ ଆଲୋଚନା ଜାରି ରହିଛି ବୋଲି ରାଜ୍ୟ ସଭାପତି ବିଭୂତି ଭୂଷଣ କର କହିଥିଲେ। ଏଥିସହିତ, ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହାକୁ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ତଥା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କୋଷାଧକ୍ଷ ରାଜନ ଚୌଧୁରୀ, ଜିଲ୍ଲା ସଭାପତି ସୁରେଶ ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧ୍କାରୀ ଦେବରାଜ ଟାକିରି ରାଜ୍ୟ ସଦସ୍ୟ ରାଜୀବ ଦାଶ ଓ ସନ୍ତୋଷ ପାଣିଗ୍ରାହୀଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟର ପ୍ରେମ କୁମାର, ଶିକ୍ଷୟତ୍ରୀ ରଶ୍ମିତା ହୋତା, ତରଙ୍ଗିନି ଶବର ଏବଂ ବରିଷ୍ଠ ସାମ୍ବାଦିକ ମାଉଡି ବାରିକଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସପ୍ତମ ବାର୍ଷିକ ଉତ୍ସବ ରାୟଗଡ଼ାର ସାମ୍ବାଦିକ ସମାଜରେ ଏକ ନୂତନ ଉତ୍ସାହ ଏବଂ ଏକତା ପ୍ରତିଷ୍ଠା କରିବାରେ ସଫଳ ହୋଇଛି।
What's Your Reaction?