ରାୟଗଡା ତହସିଲଦାରଙ୍କ ବିରୋଧରେ ଆଇନଜୀବୀଙ୍କ ଅଭିଯୋଗ
ରାୟଗଡ଼ା (ଓ ଏନ୍ ଟି) : ରାୟଗଡା ତହସିଲଦାରଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ଜଣେ ଯୁବ ଆଇନଜୀବୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ରାୟଗଡା ବାର୍ ଆସୋସିଏସନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଆଜି ଶତାଧିକ ଆଇନଜୀବୀ ଏନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାୟଗଡା ସଦର ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁଙ୍କ ବିରୋଧରେ ଉଠିଛି ଅସଦାଚରଣର ଅଭିଯୋଗ। ଘଟଣାଟି ଗତ ୮ ତାରିଖର। ରାୟଗଡା ବାର୍ ଆସୋସିଏସନର ସଭ୍ୟ ତଥା ଯୁବ ଆଇନଜୀବୀ ଟି. ନାଗରାଜୁ ନିଜ ମହକିଲଙ୍କ ସହ ଆରଓଆର୍ ସଂଶୋଧନ କାର୍ଯ୍ୟ ପାଇଁ ସଦର ତହସିଲଦାରଙ୍କୁ ଭେଟିବାକୁ ଯାଇଥିଲେ। ଅଭିଯୋଗ ଅନୁଯାୟୀ, ତହସିଲଦାରଙ୍କ କାର୍ଯ୍ୟାଳୟରେ ରାଜସ୍ବ ସୁପରଭାଇଜରଙ୍କ ଉପସ୍ଥିତିରେ ଆଇନଜୀବୀଙ୍କୁ ପାଖକୁ ନ ଆସିବାକୁ କୁହାଯାଇଥିଲା। ଏତିକିରେ ଅଟକି ନଯାଇ, ତହସିଲଦାର ପୋଲିସ ଡକାଇ ଭିତରେ ଭର୍ତ୍ତି କରିଦେବାକୁ ଧମକ ଦେଇଥିବା ଶ୍ରୀ ନାଗରାଜୁ ଅଭିଯୋଗ କରିଛନ୍ତି। ଏଭଳି ବ୍ୟବହାରରେ ମର୍ମାହତ ଆଇନଜୀବୀ ଜଣକ ସଙ୍ଗେ ସଙ୍ଗେ ବାର୍ ଆସୋସିଏସନରେ ଅଭିଯୋଗ କରିଥିଲେ।
ଆଜି ବାର୍ ଆସୋସିଏସନର ସଭାପତି ବ୍ରଜସୁନ୍ଦର ନାୟକଙ୍କ ନେତୃତ୍ୱରେ ଶତାଧିକ ଆଇନଜୀବୀ ଏକଜୁଟ ହୋଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଆଇନଜୀବୀମାନଙ୍କ କହିବା କଥା, ଜଣେ ସରକାରୀ ଅଧିକାରୀ ହୋଇ ତହସିଲଦାର ସରକାରୀ ଆଚରଣବିଧିକୁ ଉଲ୍ଲଂଘନ କରିଛନ୍ତି ଏବଂ ଓକିଲାତି ଭଳି ମହାନ ପେସାକୁ ଅପମାନିତ କରିଛନ୍ତି। ତୁରନ୍ତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ତେବେ, ଏହି ସମ୍ବେଦନଶୀଳ ଘଟଣାକୁ ନେଇ ତହସିଲଦାର ପ୍ରିୟଦର୍ଶିନୀ ସ୍ବାଇଁ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ସେ କୌଣସି ପ୍ରକାର ଦୁର୍ବ୍ୟବହାର କରିନାହାନ୍ତି। ଏହି ଘଟଣାକୁ ନେଇ ଏବେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
What's Your Reaction?