ଭକ୍ତିମୟ ପରିବେଶରେ ରାୟଗଡ଼ାରେ ସମ୍ପନ୍ନ ହେଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା

Jul 16, 2026 - 20:42
Jul 16, 2026 - 21:03
 0  63
ଭକ୍ତିମୟ ପରିବେଶରେ ରାୟଗଡ଼ାରେ ସମ୍ପନ୍ନ ହେଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା

ରାୟଗଡ଼ା (ଓ ଏନ୍ ଟି) : ଶ୍ରଦ୍ଧା ଓ ଭକ୍ତିର ଅନନ୍ୟ ସଂଗମ ସ୍ଥଳୀ ପାଲଟିଛି ଶ୍ରୀକ୍ଷେତ୍ର ରାୟଗଡ଼ା। ଆଜି ଅପରାହ୍ନରେ ରାୟଗଡ଼ାଠାରେ ମହାସମାରୋହରେ ପାଳିତ ହୋଇଯାଇଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଝିପିଝିପି ବର୍ଷାକୁ ଭୃକ୍ଷେପ ନକରି, ହଜାର ହଜାର ଭକ୍ତଙ୍କ ଗହଣରେ ଶାନ୍ତି ଓ ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ଏହି ମହାପର୍ବ।

ସକାଳୁ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ପରେ ବୈଦିକ ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଥିଲା ଘୋଷଯାତ୍ରାର କାର୍ଯ୍ୟକ୍ରମ। ରାଜପୁରୋହିତ ବିରଞ୍ଚି ନାରାୟଣ ଦାସଙ୍କ ଦ୍ୱାରା ଛେରା ପହଁରା ନୀତି ସମ୍ପନ୍ନ ହେବା ପରେ, ଅପରାହ୍ନ ୪ଟା ୧୫ ମିନିଟ୍‌ରେ ଭକ୍ତଙ୍କ ‘ଜୟ ଜଗନ୍ନାଥ’ ଧ୍ୱନି ଓ ଘଣ୍ଟ ଘଣ୍ଟାର ନାଦରେ ପ୍ରକମ୍ପିତ ହୋଇଉଠିଥିଲା ରାଜରାସ୍ତା। ଚଳିତ ବର୍ଷ ମଧ୍ୟ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି, ମହିଳାମାନେ ରଥର ଗୋଟିଏ ପାର୍ଶ୍ୱ ଦଉଡ଼ି ଏବଂ ପୁରୁଷମାନେ ଅନ୍ୟ ପାର୍ଶ୍ୱର ଦଉଡ଼ି ଧରି ରଥଟଣାରେ ସାମିଲ ହୋଇଥିଲେ। ଭକ୍ତଙ୍କ ଉତ୍ସାହ ଓ ଭାବାବେଗ ଭିତରେ ରଥ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।

ଏହି ପବିତ୍ର ଅବସରରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ବିଧାୟକ ଆପଲାସ୍ୱାମୀ କାଡ୍ରାକାଙ୍କ ସମେତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଏସପି ରାଜ ପ୍ରସାଦ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ରଥଟଣାରେ ଅଂଶଗ୍ରହଣ କରିଥିଲେ। ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷାର କଡ଼ାକଡ଼ି ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଭକ୍ତମାନଙ୍କ ପାଇଁ ପାନୀୟ ଜଳ ଓ ଅନ୍ନପ୍ରସାଦର ସୁବ୍ୟବସ୍ଥା କରାଯାଇଥିଲା। ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଓ ସିଆରପିଏଫ୍‌ ଯବାନମାନେ ସାରା ଦିନ ସତର୍କ ନଜର ରଖିଥିଲେ।

What's Your Reaction?

like

dislike

love

funny

angry

sad

wow