ରାୟଗଡ଼ାରେ କକ୍ରୋଚ ଜନତା ପାର୍ଟିର ବିକ୍ଷୋଭ
ରାୟଗଡ଼ା (ଓ ଏନ୍ ଟି) : ରାୟଗଡ଼ାରେ କକ୍ରୋଚ ଜନତା ପାର୍ଟି CJP ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଆନ୍ଦୋଳନରେ ପ୍ରାୟ ୧୦୦ରୁ ଅଧିକ ଯୁବକ ଏବଂ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଦେଶର ଶିକ୍ଷା ବ୍ୟବସ୍ଥାରେ ପାରଦର୍ଶିତା ଆଣିବା ଏବଂ ନିଟ୍-ୟୁଜି ପରି ପ୍ରତିଯୋଗିତାମୂଳକ ପରୀକ୍ଷାରେ ହେଉଥିବା ଅନିୟମିତତାକୁ ରୋକିବା ପାଇଁ ସେମାନେ ଦାବି କରିଛନ୍ତି।
ଦେଶରେ ଜାତୀୟସ୍ତରୀୟ ପରୀକ୍ଷାଗୁଡ଼ିକରେ ହେଉଥିବା ବ୍ୟାପକ ଅନିୟମିତତା ଓ ପେପର୍ ଲିକ୍ ଭଳି ଘଟଣାକୁ ନେଇ ଆଜି ରାୟଗଡ଼ାରେ ଛାତ୍ର ଓ ଯୁବକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଏବଂ ଯୁବକ ସାମିଲ ହୋଇଥିଲେ। ସେମାନେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ପରୀକ୍ଷାଗୁଡ଼ିକର ସ୍ୱଚ୍ଛତା ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ଆନ୍ଦୋଳନ ପରେ, ଏହି ଛାତ୍ରଛାତ୍ରୀ ଓ ଯୁବକମାନେ ରାୟଗଡ଼ା ଡେପୁଟି କଲେକ୍ଟର ଏମ ପ୍ରିୟଦର୍ଶିନୀଙ୍କୁ ଏକ ସ୍ମାରକପତ୍ର ବା ଦାବିପତ୍ର ପ୍ରଦାନ କରିଛନ୍ତି।
ଛାତ୍ରଛାତ୍ରୀମାନଙ୍କ ଦାବିପତ୍ରରେ ମୁଖ୍ୟତଃ ବାରମ୍ବାର ହେଉଥିବା ପେପର୍ ଲିକ୍ ଏବଂ ଅବହେଳା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହି ସମଗ୍ର ଘଟଣାରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ନ୍ୟାୟିକ ତଦନ୍ତ ଦାବି କରାଯାଇଛି। ଜାତୀୟ ପରୀକ୍ଷା ସଂସ୍ଥା NTAର କାର୍ଯ୍ୟଶୈଳୀରେ ବଡ଼ ଧରଣର ପରିବର୍ତ୍ତନ ଓ ଏହାକୁ ଅଧିକ ସ୍ୱଚ୍ଛ କରିବାକୁ ଦାବି ରହିଛି।
ଛାତ୍ରମାନଙ୍କ ସମସ୍ୟାର ସମାଧାନ ପାଇଁ ତୁରନ୍ତ ଗ୍ରୀଭାନ୍ସ ଟ୍ରିବ୍ୟୁନାଲ୍ ଗଠନ କରିବାକୁ ମଧ୍ୟ ସ୍ମାରକପତ୍ରରେ ଦର୍ଶାଯାଇଛି। ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ନ ଆସିଲେ, ଏହି ଆନ୍ଦୋଳନ ଆଗକୁ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦଳନକାରୀ ।
What's Your Reaction?