ଖୋଲିଲା ମା’ ମଝିଘରିଆଣୀଙ୍କ ୯ଟି ଦାନହୁଣ୍ଡି, ବାହାରୁଛି ବିପୁଳ ଟଙ୍କା, ସୁନା ଓ ରୂପା ।
ମା’ଙ୍କ ହୁଣ୍ଡିରୁ ଝରୁଛି ଅର୍ଥ, କଡ଼ା ସୁରକ୍ଷା ବଳୟରେ ୨୫୦ ସ୍ୱେଚ୍ଛାସେବୀ କରୁଛନ୍ତି ଗଣତି।
ରାୟଗଡ଼ା (ଓ ଏନ୍ ଟି) : ଆଜି ଖୋଲାଯାଇଛି ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିରର ୯ଟି ଯାକ ଦାନହୁଣ୍ଡି ଖୋଲାଯାଇ ଟଙ୍କା ଓ ସୁନା-ରୂପାର ଗଣତି ଆରମ୍ଭ ହୋଇଛି। ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଉପସ୍ଥିତିରେ ୨୫୦ରୁ ଅଧିକ ସ୍ୱେଚ୍ଛାସେବୀ ଏହି ଗଣତି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆଜି ସକାଳ ୯ଟା ବେଳେ ରାୟଗଡ଼ା ସ୍ଥିତ ମା’ ମଝିଘରିଆଣୀଙ୍କ ମନ୍ଦିରରେ ଦେଖିବାକୁ ମିଳିଥିଲା ଏକ ବଡ଼ ପ୍ରସ୍ତୁତି। ପ୍ରଶାସନିକ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିରର ସମସ୍ତ ୯ଟି ହୁଣ୍ଡିକୁ ଖୋଲାଯାଇଛି। ମାଜିଷ୍ଟ୍ରେଟ୍, ରାୟଗଡ଼ା ତହସିଲର କର୍ମଚାରୀ ଓ ପୋଲିସ ପ୍ରଶାସନର ଉପସ୍ଥିତିରେ ୨୫୦ରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଟଙ୍କା, ସୁନା ଓ ରୂପା ଗଣତି ପ୍ରକ୍ରିୟା ଜାରି ରହିଛି। ଗଣତି କାର୍ଯ୍ୟର ସୁପରିଚାଳନା ପାଇଁ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ରାଇସିଂ ବିଡ଼ିକାଙ୍କ ସମେତ କମିଟିର ସଭ୍ୟ ଦେବେନ୍ଦ୍ର ବେହେରା, ରାଧାକୃଷ୍ଣ ଦଳାଇ ଏବଂ ଆକାଉଣ୍ଟାଣ୍ଟ୍ ଏସ୍. ଭେଙ୍କଟ୍ ରାଓ ପ୍ରମୁଖ ଉପସ୍ଥିତ ଅଛନ୍ତି।
ସୂଚନାଯୋଗ୍ୟ ଯେ, ମା’ ମଝିଘରିଆଣୀଙ୍କ ଦର୍ଶନ ଏବଂ ଆଶୀର୍ବାଦ ପାଇଁ କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ତଥା ଦେଶ ବିଦେଶରୁ ବହୁ ସଂଖ୍ୟାରେ ଭକ୍ତ ଆସିଥାନ୍ତି ଏବଂ ଶ୍ରଦ୍ଧାର ସହ ଦାନହୁଣ୍ଡିରେ ଅର୍ଥ ଦାନ କରିଥାନ୍ତି। ଅନେକ ସମୟରେ ବିଦେଶରୁ ଆସୁଥିବା ଭକ୍ତମାନଙ୍କ ଦ୍ୱାରା ହୁଣ୍ଡିରୁ ବିଦେଶୀ ମୁଦ୍ରା ମଧ୍ୟ ବାହାରିଥାଏ। ଯଦି ଆମେ ପୂର୍ବ ଗଣତି ଉପରେ ନଜର ପକାଇବା, ତେବେ ଗତ ଜାନୁଆରୀ ମାସ ୧୯ ତାରିଖରେ ହୋଇଥିବା ଗଣତିରୁ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା, ୩୦ ଗ୍ରାମ ସୁନା ଏବଂ ୨ କିଲୋ ୧୫୦ ଗ୍ରାମ ରୁପା ବାହାରିଥିଲା।
ସେହିପରି ଗତବର୍ଷ ଜୁଲାଇ ମାସରେ ମଧ୍ୟ ୧ କୋଟି ୪ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ବିପୁଳ ପରିମାଣର ସୁନାରୂପା ଏବଂ ୧୨ଟି ବିଦେଶୀ ମୁଦ୍ରା ଆଦାୟ ହୋଇଥିଲା। ଆଜିର ଏହି ବିଶାଳ ଗଣତି କାର୍ଯ୍ୟରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଦେବେଶ ରଞ୍ଜନ ଧର, ରାୟଗଡ଼ା ଶାଖା ପରିଚାଳକ ବିଜୟ କୁମାର ବାରିକ ଏବଂ ବଜାର ଶାଖା ପରିଚାଳକ ପ୍ରଜ୍ଞା ରଞ୍ଜନ ରଥଙ୍କ ସମେତ ଅନ୍ୟ କର୍ମଚାରୀମାନେ ସେଠାରେ ଉପସ୍ଥିତ ଅଛନ୍ତି। ଗଣତି ଶେଷ ହେବା ପରେ ସମସ୍ତ ସଂଗୃହୀତ ଦାନ ରାଶିକୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଥିବା 'ମା’ ମଝିଘରିଆଣୀ ଟ୍ରଷ୍ଟ' ଆକାଉଣ୍ଟରେ ଜମା କରାଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶୃଙ୍ଖଳାର ସହ ଗଣତି ଜାରି ରହିଥିବା ବେଳେ, ସନ୍ଧ୍ୟା ସୁଦ୍ଧା ସମୁଦାୟ ଦାନ ରାଶିର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି।
What's Your Reaction?