ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ୟାଲ୍ଲା କୋଣ୍ଡା ବାବୁଙ୍କର ପରୋଳକ
ରାୟଗଡ଼ା (ଓ ଏନ୍ ଟି) : ରାୟଗଡ଼ା ଜିଲ୍ଲାବାସୀଙ୍କ ସୁଖ-ଦୁଃଖର ସାଥୀ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ୟାଲ୍ଲା କୋଣ୍ଡା ବାବୁଙ୍କର ପରୋଳକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
ରାୟଗଡ଼ା ଜିଲ୍ଲାବାସୀଙ୍କ ସୁଖ ଦୁଃଖର ସାଥୀ, ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ତଥା ରାୟଗଡ଼ା ଟ୍ରକ୍ ମାଲିକ ସଂଘ ସଭାପତି ୟାଲ୍ଲା କୋଣ୍ଡା ବାବୁ ଆଉ ନାହାନ୍ତି। ତାଙ୍କର ଏହି ଅକାଳ ବିୟୋଗ ଭାଜପା ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି। ସମସ୍ତଙ୍କର ଅତିପ୍ରିୟ ଜନନାୟକ, ଭାଜପାର ବରିଷ୍ଠ ନେତା ତଥା ଜିଲ୍ଲା ଟ୍ରକ୍ ମାଲିକ ସଂଘର ସଭାପତି ଶ୍ରୀ ୟାଲ୍ଲା କୋଣ୍ଡା ବାବୁଙ୍କ ବିୟୋଗର ଦୁଃଖଦ ଖବର ପ୍ରସାର ହେବା ପରେ, ହଜାର ହଜାର ସଂଖ୍ୟାରେ କୋଣ୍ଡା ବାବୁଙ୍କ ପ୍ରେମୀ, ବିଜେପି କର୍ମକର୍ତ୍ତା ଓ ବହୁ ଜନସାଧାରଣ ସ୍ୱର୍ଗତ କୋଣ୍ଡା ବାବୁଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ତାଙ୍କ ବିୟୋଗରେ ରାୟଗଡ଼ା ଜିଲ୍ଲା ଜଣେ ନିଷ୍ଠାବାନ୍, ସମାଜପ୍ରିୟ ଓ ଲୋକଙ୍କ ପାଇଁ ସମର୍ପିତ ନେତାଙ୍କୁ ହରାଇଲା। ତାଙ୍କର ସରଳତା, ନିଷ୍ଠା, ଜନସେବା ଓ ନେତୃତ୍ୱର ସ୍ମୃତି ସଦାସର୍ବଦା ସମସ୍ତଙ୍କ ହୃଦୟରେ ଅମର ହୋଇ ରହିବ। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଅନୁଗାମୀମାନଙ୍କ ପ୍ରତି ରାୟଗଡ଼ାବାସୀ ଅନ୍ତରିକ ସମବେଦନା ଜ୍ଞାପନ କରିଛନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ପବିତ୍ର ଆତ୍ମାକୁ ସଦ୍ଗତି ପ୍ରଦାନ କରନ୍ତୁ ଏବଂ ଶୋକାକୁଳ ପରିବାରବର୍ଗଙ୍କୁ ଏହି ଅପୂରଣୀୟ ବିୟୋଗର ଦୁଃଖ ସହିବା ପାଇଁ ଧୈର୍ଯ୍ୟ, ସାହସ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ସୂଚନା ମିଳିଛି ଯେ, ସ୍ୱର୍ଗତ କୋଣ୍ଡା ବାବୁଙ୍କ ଦୁଇ ପୁତ୍ର ପହଞ୍ଚିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
What's Your Reaction?