ଛାତ୍ରଛାତ୍ରୀଙ୍କ ସ୍ୱର ଦମନ ଓ ନେତାଙ୍କ ଗିରଫଦାରୀ ପ୍ରତିବାଦରେ ରାୟଗଡ଼ାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ।
ରାୟଗଡ଼ା (ଓ ଏନ୍ ଟି) : କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପ, ନିଟ୍ ପେପର ଲିକ ଏବଂ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ବୃଦ୍ଧି ପାଉଛି। ଆନ୍ଦୋଳନରତ ଛାତ୍ରଛାତ୍ରୀ ଓ କଂଗ୍ରେସ ନେତୃବୃନ୍ଦଙ୍କ ଉପରେ ପୋଲିସର ଦମନଲୀଳା ଏବଂ ବିରୋଧୀ ଦଳର ନେତାଙ୍କୁ ଗିରଫ କରାଯିବା ପ୍ରତିବାଦରେ ବର୍ତ୍ତମାନ ରାଜ୍ୟ ଓ ଦେଶବ୍ୟାପୀ ବିକ୍ଷୋଭ କାର୍ଯ୍ୟକ୍ରମ ଜାରି ରହିଛି।
ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସହରର କପିଳାସ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଅନେକ କଂଗ୍ରେସ କର୍ମୀ ଏହି ପ୍ରତିବାଦ ସଭାରେ ସାମିଲ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନ କାର୍ଯ୍ୟକୁ ଦୃଢ଼ ବିରୋଧ କରାଯାଇଛି। କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀ ଓ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଦ୍ୱାରା ଗିରଫ କରାଯିବା ଘଟଣାର ପ୍ରତିବାଦ କରାଯାଇଛି। ଭୁବନେଶ୍ୱରରେ ଓପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କୁ ପୋଲିସ ଗିରଫ କରିଥିବା ଘଟଣାକୁ କଡ଼ା ନିନ୍ଦା କରାଯାଇଛି। ଦେଶରେ ବଢୁଥିବା ଅରାଜକତା ଓ ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦତ୍ୟାଗ ବା ଇସ୍ତଫା ଦାବି କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ପ୍ରମୁଖ ସହରମାନଙ୍କରେ ଏହିପରି ଭାବେ ରାଜ୍ୟବ୍ୟାପୀ ପ୍ରତିବାଦ ଜାରି ରହିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
What's Your Reaction?