ବିଜେପିରେ ସାମିଲ ହେଲେ ଗୁଣପୁର ପୌରାଧ୍ୟକ୍ଷା ଓ ଉପାଧ୍ୟକ୍ଷ, ରାଜନୈତିକ ବଜାରରେ ଚର୍ଚ୍ଚା ଜୋର

Jul 17, 2026 - 19:30
 0  253
ବିଜେପିରେ ସାମିଲ ହେଲେ ଗୁଣପୁର ପୌରାଧ୍ୟକ୍ଷା ଓ ଉପାଧ୍ୟକ୍ଷ, ରାଜନୈତିକ ବଜାରରେ ଚର୍ଚ୍ଚା ଜୋର

ରାୟଗଡ଼ା (ଓ ଏନ୍ ଟି) : ଗୁଣପୁର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ସ୍ଥାନୀୟ ରାଜନୀତିର ହେଭିୱେଟ ନେତା ତଥା ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ଏବଂ ପୌରାଧ୍ୟକ୍ଷା ମମତା ଗୌଡ଼ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏହି ଯୋଗଦାନ ଗୁଣପୁରର ଆଗାମୀ ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ବୋଲି ଚର୍ଚ୍ଚା ହେଉଛି। ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୁଣପୁର ପୌରାଧ୍ୟକ୍ଷା ମମତା ଗୌଡ଼ ଏବଂ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ନିଜର ଶତାଧିକ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ପଦ୍ମ ପତାକା ଧରିଛନ୍ତି। ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେମାନେ ବିଜେପିରେ ଯୋଗ ଦେଇଛନ୍ତି।

ଗତ ୧୫ ବର୍ଷ ଧରି ଗୁଣପୁର ରାଜନୀତିରେ ଶିବପ୍ରସାଦ ଗୌଡ଼ ଏକ ପ୍ରଭାବଶାଳୀ ନାମ। ତାଙ୍କର ଏହି ଯୋଗଦାନ ସ୍ଥାନୀୟ ବିଜେପି ସଂଗଠନକୁ ଅଧିକ ମଜଭୂତ କରିବ ବୋଲି ଆଶା କରାଯାଉଛି। ଶିବପ୍ରସାଦ ନିଜର ରାଜନୈତିକ ଜୀବନ କଂଗ୍ରେସ ଦଳରୁ ଆରମ୍ଭ କରିଥିଲେ। କଂଗ୍ରେସ ଛାଡ଼ି ସେ ବିଜେଡିରେ ଯୋଗ ଦେଇଥିଲେ ଏବଂ ପୌରାଧ୍ୟକ୍ଷ ପଦ ହାସଲ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ବିଜେଡି ସହ ମତଭେଦ ହେବାରୁ ତାଙ୍କୁ ଦଳରୁ ବହିଷ୍କୃତ ହେବାକୁ ପଡ଼ିଥିଲା। ଦଳରୁ ବାହାରିବା ପରେ ସେ ହାର ମାନି ନଥିଲେ। ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପତ୍ନୀ ମମତା ଗୌଡ଼ଙ୍କୁ ପୌରାଧ୍ୟକ୍ଷା ଏବଂ ନିଜେ ଉପାଧ୍ୟକ୍ଷ ପଦ ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏବେ ବିଜେପିରେ ସାମିଲ ହେବା ପରେ ଗୁଣପୁର ରାଜନୀତିରେ କ’ଣ ନୂଆ ମୋଡ଼ ଆସୁଛି, ତାହା ଉପରେ ସମସ୍ତଙ୍କ ନଜର।

What's Your Reaction?

like

dislike

love

funny

angry

sad

wow