୬୦ଲକ୍ଷ ଟଙ୍କା ମାଗି ୪ ନକଲି ମାଓବାଦୀ ଗିରଫ।

ରାୟଗଡ଼ା (ଓ.ଏନ.ଟି) : ମାଓ ପ୍ରବଣ ରାୟଗଡ଼ା ଜିଲ୍ଲାରେ ମାଓ ସଂଗଠନର ନାମକୁ ଆଧାର କରି ୬୦ଲକ୍ଷ ଟଙ୍କା ଚାନ୍ଦା ମାଗିବା ଘଟଣାରେ ପୋଲିସ ହାତରେ ଧରାପଡିଛନ୍ତି ୪ଜଣ ନକଲି ମାଓବାଦୀ । ଗିରଫ ୪ଜଣଙ୍କ ମଧ୍ୟରେ ୨ଜଣ ମହିଳା ଓ ୨ଜଣ ପୁରୁଷ ରହିଛନ୍ତି । ରାୟଗଡ଼ା ଜିଲ୍ଲା କାଶିପୁର ବୁକ ଦୋରାଗୁଡା ଥାନା ଅନ୍ତୁର୍ଗତ ଡିମୁଣ୍ତି ଗ୍ରାମରେ ଏଭଳି ଘଟଣା ଦେଖୁବାକୁ ମିଳିଛି। ଘଟଣାରେ କଳାହାଣ୍ଡି ଜିଲ୍ଲା କଲାମପୁର ଥାନା ଅନ୍ତର୍ଗତ ମଣ୍ଣଳ ଗ୍ରାମର ୟାଦବ ନାୟକଙ୍କ ୨୭ବର୍ଷିୟ ପୁଅ ସୂର୍ଯ୍ୟ ଓରଫ ଯଶୋବନ୍ତ ନାୟକ ଏବଂ ତାଙ୍କ ସ୍ଵୀ ବର୍ଷା ନାୟକ ଗିରଫ ହୋଇଥିବା ବେଳେ ଅନ୍ୟ ୨ଜଣ ହେଲେ ରାୟଗଡା ଜିଲ୍ଲା କାଶିପୁର ଥାନା ଅନ୍ତର୍ଗତ ମାଲିଗାଁ ଗ୍ରାମର ଲାବଣ୍ୟ ନାୟକଙ୍କ ୩୨ବର୍ଷର ପୁଅ ପିଂଟୁ ଓରଫ ରମେଶ ନାୟକ ଏବଂ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ବୁନ୍ଦିଆ କଲୋନୀର ସୁରେନ୍ଦ୍ର କେୱତଙ୍କ ୩୦ବର୍ଷିୟ ସ୍ତ୍ରୀ କଲ୍ୟାଣୀ ପଂଚଭାୟା। ଅଭିଯୁକ୍ରୁମାନେ ରାୟଗଡା ଜିଲ୍ଲା ଦୋରାଗୁଡା ଥାନା ଅନ୍ତର୍ଗତ ଡିମୁଣ୍ଡି ଗ୍ରାମର ପରମାନନ୍ଦ ନାୟକ ନାମକ ବ୍ୟକ୍ତିଙ୍କୁ ଚଳିତ ମାସ ଡିସେମ୍ବର ୩ ତାରିଖରେ ଏକ ଧମକପୂର୍ଣ୍ଣ ଚିଠି ପଠାଇଥୂଲେ। ସେଥୁରେ ମାଓ ସଂଗଠନକୁ ୬୦ଲକ୍ଷ ଟଙ୍କା ଦେବାକୁ ଉଲ୍ଲେଖ କରାଯିବା ସହ ଟଙ୍କା ନ ଦେଲେ ଜୀବନରେ ମାରିଦେବାର ଧମକ ଦେଇଥିଲେ । ପରମାନନ୍ଦ ଉକ୍ତ ଚିଠିଟିକୁ ପଢ଼ି ପାରି ନ ଥିବା ବେଳେ ପୁଣି ତା'ପରଦିନ ୪ତାରିଖରେ ଅଭିଯୁକ୍ତମାନେ ଫୋନ୍ ଯୋଗେ ଯୋଗାଯୋଗ କରି ମାଓବାଦୀର ପରିଚୟ ଦେଇ ୬୦ଲକ୍ଷ ଟଙ୍କା ଦିଅ ନଚେତ ତୁମକୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଧମକ ଦେଇ ଫୋନ କାଟି ଦେଇଥିଲେ । ପୁଣି ୫ ତାରିଖ ଦିନ ପରମାନନ୍ଦ ଘରେ ଥିବା ବେଳେ ଅଭିଯୁକ୍ତ ଦମତି ସୂର୍ଯ୍ୟ ଓ ବର୍ଷା ଆସି ଏକ ଧମକପୁର୍ଣ୍ଣ ଚିଠି ଦେଇ ଚାଲିଯାଇଥିଲେ। ଆନ୍ଧ୍ର ଓଡିଶା ବର୍ଡର ଏକେବି ଡିଭିଜନାଲ ସିପିଆଇ ମାଓବାଦୀ ଲେଖା ଥିବା ଚିଠି ଓ ଫୋନ କଲ ପାଇବା ପରେ ପରମାନନ୍ଦ ଭୟଭୀତ ହୋଇ ଦୋରାଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦୋରାଗୁଡା ଥାନା କେସ ନମ୍ବର୧୯୩/୧୧/୧୨/୨୩ ପ୍ରକାରେ ଥାନା ଅଧୀକାରୀ କିରଣମାଳା ସାମଲ ଘଟଣାକୁ ଗୁରୁତ୍ୱ ସହ ନେଇଥିଲେ। ରାୟଗଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ରଶ୍ମିରଂଜନ ସେନାପତିଙ୍କ ତତ୍ବାବଧାନରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲେ। ଆଜି ଅଭିଯୁକ୍ତମାନଙ୍କ ଡାକୁରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ରାୟଗଡା ଏସଡିପିଓ ରସ୍ମିରଂଜନ ସେନାପତି ପ୍ରକାଶ କରିଛନ୍ତି। ଅଭିଯୋଗକାରୀ ପରମାନନ୍ଦ ନାୟକ ଉତ୍କଳ ଆଲୁମିନା କମ୍ପାନୀରେ ଜଣେ କର୍ମଚାରୀ ଭାବେ ଏବଂ କମାନୀରେ ନିଜର କିଛି ଗାଡି ଭଡାସୁତ୍ରରେ ଲଗାଇ ନିଜ ପରିବାର ଭରଣପୋଷଣ କରୁଥିବା ଜଣାପଡିଥିବା ବେଳେ ଗିରଫ ଅଭିଯୁକ୍ରୁମାନଙ୍କ ନାମରେ ପୂର୍ବରୁ ମଧ୍ଯ ବିଭିନ୍ନ ଥାନାରେ ନକଲି ମାଓବାଦୀ ସାଜି ମାଓବାଦୀଙ୍କ ନାମରେ ଟଙ୍କା ମାଗିବା ଘଟଣାରେ ଗିରଫ ହୋଇଥିବା ପୋଲିସ ସୁତ୍ରରୁ ଜଣାପଡିଛି।
What's Your Reaction?






