ୟୁଜିସି ନିୟମ ଆଧାରରେ ଅଧ୍ୟାପକ ନିଯୁକ୍ତି, ଆଞ୍ଚଳିକତାକୁ ମିଳୁ ପ୍ରାଥମିକତା

ଭୁବନେଶ୍ୱର (ଓ.ଏନ.ଟି ) : ୟୁଜିସି ନିୟମ ଆଧାରରେ ଅଧ୍ୟାପକ ନିଯୁକ୍ତିରେ ଆଞ୍ଚଳିକତାକୁ ମିଳୁନି ପ୍ରାଥମିକତା । ଓଡ଼ିଶାରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ଅଧ୍ୟାପନାରେ ସଦ୍ୟ ନିଯୁକ୍ତି ପରେ ଏଭଳି ଅଭିଯୋଗ ଆସିଛି । ଯାହାକୁ ନେଇ ଆଶାୟୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥି ଯୋଗୁ ଅସନ୍ତୋଷ ଦାନ ବାନ୍ଧିବାରେ ଲାଗିଛି ।
ଚାକିରି ଆଶାୟୀଙ୍କ ଅଭିଯୋଗ ଯେ ଭାରତ ସରକାର ଜାତୀୟ ଶିକ୍ଷାନୀତିରେ ମାତୃଭାଷାକୁ ଗୁରୁତ୍ୱ ସହ ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ଓଡ଼ିଆରେ ଛପାଉଛନ୍ତି କିନ୍ତୁ ନିଯୁକ୍ତି ଏବଂ ଚାକିରିରେ ଏହା ଲାଗୁ ପରିବର୍ତ୍ତେ ଅବହେଳା ଓ ଅଣଦେଖା କରୁଛନ୍ତି ।
ଏଭଳି ଏକ ଗୁରୁତର ବିଷୟ ଉପରେ ଭାଷାବିତ୍ମାନେ କହିଛନ୍ତି, ନିଜ ବିଷୟ ସହ ଓଡ଼ିଶାରେ ଓଡ଼ିଆରେ ଶିକ୍ଷାଦାନ କରିବା ଦକ୍ଷତାକୁ ନେଇ ନିଯୁକ୍ତି ମିଳୁ । ଯଦି ନମିଳିବ ତେବେ ଓଡ଼ିଆରେ ପଢ଼ି, ଗବେଷଣା କରି ଖାଲି ଡିଗ୍ରୀ, ପ୍ରମାଣପତ୍ର ଧରି ନିଜକୁ ଓଡ଼ିଆ କହି ଗର୍ବ କହିଲେ କ'ଣ ମିଳିବ? ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏଥିପ୍ରତି ସଚେତନ ହୋଇ ବିଚାର, ବିମର୍ଶ କରି ଏକ ହିତକର ନିଷ୍ପତ୍ତି ନିଅନ୍ତୁ ।
ନିକଟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ତଥା ଭାରତର ଅଦ୍ୱିତୀୟ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ହୋଇଛନ୍ତି । ୟୁଜିସି ନିୟମ ଆଧାରରେ ବିଭିନ୍ନ ବିଭାଗରେ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି । ମାତ୍ର ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ଉଭୟ ବିଶ୍ୱବିଦ୍ୟାଳୟର ଲିଙ୍ଗୁଇଷ୍ଟିକ୍ ବା ଭାଷା ବିଜ୍ଞାନ ବିଭାଗରେ ହୋଇଥିବା ନିଯୁକ୍ତି ଉପରେ ଅଙ୍ଗୁଳି ଉଠାଇଛନ୍ତି କିଛି ଭାଷାବିତ୍ ଏବଂ ନିଯୁକ୍ତି ପାଇନଥିବା ଆବେଦନକାରୀ ।
ସେମାନଙ୍କ କହିବା କଥା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଭାଷା ବିଜ୍ଞାନ ବିଭାଗରେ ୩ଟି ଅଧ୍ୟାପକ ପଦବିରୁ ଗୋଟିଏ ପଦବିରେ ପୂର୍ବରୁ ଜଣେ ଅଣଓଡ଼ିଆ ଥିବାବେଳେ ବାକି ଯେଉଁ ଦୁଇଟି ପଦବିରେ ନିଯୁକ୍ତି ଦିଆଗଲା ସେଥିରେ ବି ଅଣଓଡ଼ିଆ ନିଯୁକ୍ତି ପାଇଲେ । ଏପଟେ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଭାଷା ବିଜ୍ଞାନରେ ଯେଉଁ ଗୋଟିଏ ପଦବି ଥିଲା, ସେଥିରେ ବି ଜଣେ ଅଣଓଡ଼ିଆ ନିଯୁକ୍ତ ହେଲେ । ଏହାଦ୍ୱାରା ଅନେକଙ୍କୁ ନିରାଶ ହେବାକୁ ପଡ଼ିଲା । ବିଶେଷକରି ସେମାନଙ୍କ ମଧ୍ୟରେ ଥିବା କିଛି ଓଡ଼ିଆ ଆବେଦନକାରୀଙ୍କ ଅଭିଯୋଗ, ଓଡ଼ିଶାରେ ହେଇ ବି ଓଡ଼ିଆଙ୍କୁ ସ୍ଥାନ ମିଳିଲା ନାହିଁ ।
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମତ, ୟୁଜିସି ନିୟମ ଆଧାରରେ ସାକ୍ଷାତକାର ସହ ନିଯୁକ୍ତି ଦେଇଛୁ । ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ନିରପେକ୍ଷତା ବଜାୟ ରହିଛି । ଓଡ଼ିଶା ବାହାର ବିଶେଷଜ୍ଞମାନେ ସାକ୍ଷାତକାର ନେଇଛନ୍ତି । ମାର୍କ ଏବଂ ମେରିଟ୍ ଆଧାରରେ ଯେଉଁମାନେ ଯୋଗ୍ୟ, ସେହିମାନେ ବିଶେଷଜ୍ଞ କମିଟି ଦ୍ୱାରା ମନୋନୀତ ହୋଇ ନିଯୁକ୍ତି ପାଇଛନ୍ତି । ୟୁଜିସି ନିୟମ ଅନୁସାରେ ଯାହା ବିଜ୍ଞପ୍ତି ପ୍ରକାଶ ପାଇଥିଲା, ସେଥିରେ ସର୍ବଭାରତୀୟସ୍ତରରୁ ଆବେଦନ ଆସିଥିଲା । ଭାଷା ବିଜ୍ଞାନ ଏକ ଅନ୍ତର୍ଜାତୀୟ ବିଷୟ । ସେମିତି କିଛି ନାହିଁ କି କେବଳ ଓଡ଼ିଆ ପାଇବେ ଅନ୍ୟମାନେ ପାଇବେ ନାହିଁ । ଯିଏ ଯୋଗ୍ୟ ହେବେ ସେ ପାଇବେ । ଓଡ଼ିଆମାନେ ତ ପୁଣି ଅନ୍ୟ ରାଜ୍ୟରେ ନିଯୁକ୍ତି ପାଉଛନ୍ତି । ତାହା କେମିତି ସମ୍ଭବ ହେଉଛି? ତେଣୁ ଏଭଳି ଅଭିଯୋଗ ଭିତ୍ତିହୀନ ।
ବରିଷ୍ଠ ଭାଷା ବିଜ୍ଞାନୀ ଡ. ଗୋବିନ୍ଦ ଚନ୍ଦ୍ର ପେଣ୍ଠୋଇ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ହୋଇଥିବା ଭାଷା ବିଜ୍ଞାନ ନିଯୁକ୍ତି ଉପରେ ଅଙ୍ଗୁଳି ଉଠାଇଛନ୍ତି । ସେ କହିଛନ୍ତି, କାହାରି ଯୋଗ୍ୟତା କି ୟୁଜିସି ନିୟମ ଉପରେ ପ୍ରଶ୍ନ କରୁନାହିଁ ବରଂ ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଅନ୍ୟାୟକୁ ଗ୍ରହଣ କରିପାରୁନି । ଜଣେ ଆବେଦନକାରୀଙ୍କ ଗାଇଡ୍ ବିଶେଷଜ୍ଞ କମିଟିରେ ଥାଇ ବି ସାକ୍ଷାତକାର ହେଲା । ଏହା ଜାଣିଲା ପରେ ବି ତାଙ୍କୁ ବାଦ ଦିଆଗଲାନି କି ଏହାକୁ ବାତିଲ କରାଗଲାନି । ଶେଷରେ ତାଙ୍କୁ ହିଁ ଉକ୍ତ ପଦବିରେ ସହକାରୀ ପ୍ରଫେସର ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଗଲା । ତେବେ ଏତେ ନିୟମ କରି, ବାହାରୁ ବିଶେଷଜ୍ଞଙ୍କୁ ଆଣି ଲାଭ କ'ଣ? ଏସବୁ କଥା ଜାଣିଲା ପରେ ବି କୁଳପତି ଚାହିଁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଥାନ୍ତେ । ତାଙ୍କର କ୍ଷମତା ଅଛି । ମାତ୍ର ସେପରି ହେଲା ନାହିଁ ।
ଏ ସମ୍ପର୍କରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ ହୋଇପାରିନଥିବାବେଳେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ କହିଛନ୍ତି, ଯେତେ ସ୍ୱଚ୍ଛତା, ନିରପେକ୍ଷତା ବ୍ୟବସ୍ଥା ଆପଣାଇଲେ ବି ଅଭିଯୋଗ ହେବା ସ୍ୱଭାବିକ କଥା । ଯାହା ବି ହୋଇଛି ନିୟମ ଆଧାରରେ ହୋଇଛି । ଯାହାଙ୍କ ନାଁରେ ଅଭିଯୋଗ ଆସିଛି, ସେ ଓଡ଼ିଶାରେ ରହି ସ୍ୱତନ୍ତ୍ର ବିଷୟ ଉପରେ ଗବେଷଣା ବି କରିଛନ୍ତି । ବିଶ୍ୱବିଦ୍ୟାଳୟକୁ ଆଗକୁ ନେବା ସହ ୟୁଜିସି ସୁବିଧା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବାକୁ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଯାହା ଦରକାର କରାଯାଉଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ତାହା ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରିବା ସବୁଠୁ ବଡ଼ ଆହ୍ୱାନ । ସେ ଦିଗରେ ଏକାଠି ହୋଇ କାମ କରିବାକୁ ହେବ ।
ଗବେଷକ ଡ. ସୁବ୍ରତ କୁମାର ପୃଷ୍ଟି କହିଛନ୍ତି, ନିଜ ବିଷୟ ସହ ଓଡ଼ିଶାରେ ଓଡ଼ିଆରେ ଶିକ୍ଷାଦାନ କରିବା ଦକ୍ଷତାକୁ ନେଇ ନିଯୁକ୍ତି ମିଳିବା କଥା ଏବଂ ମିଳୁ ମଧ୍ୟ । କାରଣ ଅତୀତରେ ପଶ୍ଚିମବଙ୍ଗ ଏବଂ ଅନ୍ୟ ରାଜ୍ୟରେ ହୋଇଛି । ସେଠି ବି ଆମର ଯେଉଁମାନେ ତାଙ୍କ ଭାଷା ଜାଣିଥିଲେ ନିଯୁକ୍ତି ପାଇଁ ଶିକ୍ଷାଦାନ କରୁଛନ୍ତି । କଥା ହେଉଛି, ବାହାରୁ ନିଯୁକ୍ତି ହୁଅନ୍ତି କି ଓଡ଼ିଶାର । ସେ ଓଡ଼ିଆରେ ପାଠ ପଢ଼ାଇବାର କ୍ଷମତା ରଖିଥିବା ଦରକାର । ଆଗାମୀ ଦିନରେ ସରକାର ଏ ଉପରେ ଗଭୀର ଚିନ୍ତା କରି ନିଷ୍ପତ୍ତି ନେବେ ବୋଲି ଆଶା ରଖିବି ।
What's Your Reaction?






