ରାୟଗଡ଼ା ଜିଲ୍ଲା ରିଭଲକଣା ଉଚ୍ଚ ବିଦ୍ୟାଳୟରୁ ଆସିଲା ଛାତିଥରା ଦୃଶ୍ୟ

Aug 5, 2026 - 15:01
Aug 5, 2026 - 15:32
 0  68
ରାୟଗଡ଼ା ଜିଲ୍ଲା ରିଭଲକଣା ଉଚ୍ଚ ବିଦ୍ୟାଳୟରୁ ଆସିଲା ଛାତିଥରା ଦୃଶ୍ୟ

ରାୟଗଡ଼ା (ଓ ଏନ୍ ଟି) : ବିଦ୍ୟାଳୟରେ ନିଜର ପତିଆରା ବୃଦ୍ଧି ପାଇଁ ଛାତ୍ରଙ୍କ ମଧ୍ୟରେ ବଢୁଛି ହିଂସା। ନାବାଳକ ଛାତ୍ରମାନେ ହିଂସାର ପଥ ବାଛିନେଉଥିବା ବେଳେ ରାୟଗଡ଼ା ଜିଲ୍ଲାରୁ ଆସିଛି ଏକ ଛାତିଥରା ଦୃଶ୍ୟ। ବରିଷ୍ଠ ଛାତ୍ରମାନେ କନିଷ୍ଠ ଛାତ୍ରମାନଙ୍କୁ ଗାଈ ଗୋରୁଙ୍କ ଭଳି ମାରପିଟ୍ କରୁଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରିଭଲକଣା ହାଇସ୍କୁଲ ର ଦଶମ ଶ୍ରେଣୀର ଛାତ୍ରମାନେ ନବମ ଶ୍ରେଣୀର ୨୦ରୁ ଉର୍ଦ୍ଧ୍ୱ ହଷ୍ଟେଲ ଅନ୍ତେବାସୀଙ୍କୁ ନଡ଼ିଆ ବାହୁଙ୍ଗା ଓ ବାଡ଼ିରେ ନିର୍ଧମ ମାଡ଼ ମାରିଛନ୍ତି। ଏହି ଅଭାବନୀୟ ଘଟଣା ଗତ ରବିବାର ରାତିରେ ଘଟିଥିବା ବେଳେ ବର୍ତ୍ତମାନ ଏହା ଲୋକଲୋଚନକୁ ଆସିଛି। ନବମ ଶ୍ରେଣୀର କିଛି ଛାତ୍ର ସମ୍ପୃକ୍ତ ଦଶମ ଶ୍ରେଣୀ ଛାତ୍ରଙ୍କ ଅଶାଳୀନ ଆଚରଣ ବିରୋଧରେ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ଶିକ୍ଷକ ସେହି ଛାତ୍ରମାନଙ୍କୁ ତାଗିଦ୍ କରିଥିବା କୁହାଯାଉଛି। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦଶମ ଶ୍ରେଣୀର ଛାତ୍ର ଏବଂ ତାଙ୍କର କିଛି ସହପାଠୀ ମିଶି ହଷ୍ଟେଲରେ ଅମାନବୀୟ କାଣ୍ଡ ଘଟାଇଥିଲେ। ହଷ୍ଟେଲ ଦାୟିତ୍ୱରେ ଥିବା ଡମ୍ବରୁଧର ତ୍ରିପାଠୀ କହିଛନ୍ତି ଯେ, ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯିବା ସହ ଥାନାରେ ଏଫ୍.ଆଇ.ଆର୍ ଦିଆଯାଇଛି।

ଖବର ପାଇ କୋଲନରା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡ ତୁରନ୍ତ ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ କୋଲନରା ଡବ୍ଲ୍ୟୁ.ଇ.ଓ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସମସ୍ତ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିବା ଶ୍ରୀମତୀ ରାଓ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ହଷ୍ଟେଲରେ ରହୁଥିବା ଅନ୍ୟ ଅନ୍ତେବାସୀ ଛାତ୍ରମାନେ ଏବେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ଛାତ୍ରମାନଙ୍କୁ କେଉଁ ପରିସ୍ଥିତିରେ ଏଭଳି ମାଡ଼ ମରାଗଲା, ଘଟଣା ସମୟରେ ହଷ୍ଟେଲ ଦାୟିତ୍ୱରେ କିଏ ଥିଲେ ଏବଂ ଛାତ୍ରମାନଙ୍କ ସୁରକ୍ଷାରେ କୌଣସି ଅବହେଳା ହୋଇଛି କି ନାହିଁ ସେନେଇ ବିଭାଗୀୟ ରିପୋର୍ଟ ଆସିବା ପରେ ଅଧିକ ସ୍ପଷ୍ଟତା ଆସିବ।

What's Your Reaction?

like

dislike

love

funny

angry

sad

wow