ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକ୍ଷମ ହେଲା ଅତ୍ୟାଧୁନିକ PICU
ରାୟଗଡ଼ା (ଓ ଏନ୍ ଟି) : ଜିଲ୍ଲାବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖବର। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଜିଲ୍ଲାରେ ଗୁରୁତର ଶିଶୁଙ୍କ ଚିକିତ୍ସା ପାଇଁ ଦୀର୍ଘ ଦିନର ଆବଶ୍ୟକତାକୁ ପୂରଣ କରି, ବର୍ତ୍ତମାନ ୪ ଶଯ୍ୟା ବିଶିଷ୍ଟ ଶିଶୁ ଜରୁରୀ ଚିକିତ୍ସା ୱାର୍ଡ ବା PICU ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି PICUର ଶୁଭାରମ୍ଭ ହେବା ପରେ ଏବେ ଗୁରୁତର ଶିଶୁଙ୍କ ଚିକିତ୍ସା ପାଇଁ ଆଉ ବାହାର ଜିଲ୍ଲା କିମ୍ବା ବଡ଼ ସହର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏହି ୱାର୍ଡ଼ରେ ୪ଟି ଶଯ୍ୟା ସହିତ ଅତ୍ୟାଧୁନିକ ଭେଣ୍ଟିଲେଟର, ମଲ୍ଟି-ପାରା ମନିଟର ଏବଂ ୨୪ ଘଣ୍ଟିଆ ଅମ୍ଳଜାନ ବ୍ୟବସ୍ଥା ରହିଛି। ଯାହା ଦ୍ୱାରା ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ଶିଶୁମାନଙ୍କୁ ତୁରନ୍ତ ଚିକିତ୍ସା ସେବା ମିଳିପାରିବ।
ସାଧାରଣତଃ ଜିଲ୍ଲାରେ ପିଲାମାନଙ୍କର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ, ଅଭିଭାବକମାନେ ବାଧ୍ୟ ହୋଇ ବ୍ରହ୍ମପୁର ବା ଅନ୍ୟ ସହରକୁ ସ୍ଥାନାନ୍ତର ହେଉଥିଲେ। ଏଥିପାଇଁ ବହୁ ସମୟ ନଷ୍ଟ ହେବା ସହ ଆର୍ଥିକ ଚାପ ମଧ୍ୟ ପଡ଼ୁଥିଲା। ଏବେ ଘର ପାଖରେ ଏହି ସୁବିଧା ଉପଲବ୍ଧ ହେବା ଫଳରେ ଶିଶୁ ମୃତ୍ୟୁହାର ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ୱାର୍ଡ ପାଇଁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍ ନିୟୋଜିତ ହୋଇଛନ୍ତି, ଯେଉଁମାନେ ୨୪ ଘଣ୍ଟିଆ ସେବା ଯୋଗାଇବେ। ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ ଆହୁରି ସମ୍ପ୍ରସାରଣ କରାଯିବାର ଯୋଜନା ରହିଛି। ରାୟଗଡ଼ାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
What's Your Reaction?