ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ବଦଳି ।
ରାୟଗଡ଼ା (ଓ ଏନ୍ ଟି) : ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ପଣ୍ଡାଙ୍କୁ ବଦଳି କରାଯାଇଛି। ତାଙ୍କ ବିରୋଧରେ ଆସିଥିବା ସାଂଘାତିକ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ନିଆଯାଇଛି। ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ସରକାରୀ ଆଦେଶନାମା ଜାରି କରାଯାଇଛି। ଆଦେଶ ଅନୁଯାୟୀ, ଡାକ୍ତର ପ୍ରଦୀପ କୁମାର ପଣ୍ଡାଙ୍କୁ ତୁରନ୍ତ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରୁ ଅବ୍ୟାହତି ଦିଆଯାଇ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ବଦଳି କରାଯାଇଛି। ତାଙ୍କୁ ତୁରନ୍ତ ନୂତନ କାର୍ଯ୍ୟସ୍ଥଳରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
କିଛି ଦିନ ପୂ୍ବେ ଡାକ୍ତର ପ୍ରଦୀପ କୁମାର ପଣ୍ଡାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିଲା। ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କୁ ଅସ୍ତ୍ରୋପଚାର ଗୃହରୁ ବାହାର କରିଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ମହିଳାଙ୍କ ସ୍ୱାମୀ ରାୟଗଡ଼ା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଡାକ୍ତରଙ୍କ ଏଭଳି ବ୍ୟବହାର ଓ ଚିକିତ୍ସାରେ ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣାର ଗମ୍ଭୀରତାକୁ ବିଚାର କରି ଜିଲ୍ଲା ପ୍ରଶାସନ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଡାକ୍ତରଙ୍କ ଏହି ବଦଳି ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
What's Your Reaction?