ଆଗାମୀ ନିର୍ବାଚନୀ ପାଇଁ ଅଣ୍ଟା ଭିଡ଼ିଛି ବିଜୁ ସ୍ୱାଭିମାନ ମଞ୍ଚ ।
ବିଜୁ ବାବୁଙ୍କ ଆଦର୍ଶ, ନିଜସ୍ୱ ରଣନୀତି, ଆଗାମୀ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ମଞ୍ଚ ।
ରାୟଗଡ଼ା (ଓ ଏନ୍ ଟି) : ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି 'ବିଜୁ ସ୍ୱାଭିମାନ ମଞ୍ଚ'। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏହି ମଞ୍ଚ ନିଜର ଆଭିମୁଖ୍ୟ ବଦଳାଇବା ସହ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ଚନ୍ଦ୍ରପୁରଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସମାବେଶରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ଏ ନେଇ କିଛି ବଡ଼ ଘୋଷଣା କରିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ସ୍ୱାଭିମାନ ମଞ୍ଚ କୌଣସି ରାଜନୈତିକ ଦଳର ସହାୟତା ନ ନେଇ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଚନ୍ଦ୍ରପୁର ସମାବେଶରେ ଏହି ଘୋଷଣା କରାଯାଇଛି।
ମଞ୍ଚର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଏବଂ ସ୍ୱାଧୀନ ଭାବେ ଲୋକଙ୍କ ସେବା କରିବା। ଏହି ସମାବେଶରେ ନେତାମାନେ ସ୍ପଷ୍ଟ କରିଛନ୍ତି ଯେ, କେବଳ ସେହି ବ୍ୟକ୍ତିମାନଙ୍କୁ ହିଁ ପ୍ରାର୍ଥୀ କରାଯିବ ଯେଉଁମାନେ ବିଜୁ ବାବୁଙ୍କ ବିଚାରଧାରାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରନ୍ତି ଏବଂ ତାଙ୍କୁ ଆନ୍ତରିକତାର ସହ ପସନ୍ଦ କରନ୍ତି। ସାଂସଦ ଏନ୍. ଭାସ୍କର ରାଓ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ କାହାକୁ ମଧ୍ୟ ମଞ୍ଚ ସହ ରହିବା ପାଇଁ ଜବରଦସ୍ତି କରୁନାହାଁନ୍ତି କିମ୍ବା କାହାକୁ ପ୍ରଲୋଭିତ କରୁନାହାଁନ୍ତି। ଯେଉଁମାନେ ମଞ୍ଚ ସହ ରହିବାକୁ ଚାହିଁବେ, ସେମାନେ ହିଁ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।
ମଞ୍ଚର ଭବିଷ୍ୟତ ରଣନୀତି ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ଯେ ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସଭା ଆୟୋଜନ କରାଯିବ। ଏହି ସଭାଗୁଡ଼ିକରେ ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଏକ ସ୍ୱତନ୍ତ୍ର 'ହେଲ୍ପ ଡେସ୍କ' ଖୋଲାଯିବ ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି। ଏହି ସମାବେଶରେ ଅନେକ ବରିଷ୍ଠ ନେତା ଉପସ୍ଥିତ ରହି ନିଜର ମତ ରଖିଥିଲେ। ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଯୋଗଦେଇ କହିଥିଲେ ଯେ, ବିଜୁ ସ୍ୱାଭିମାନ ମଞ୍ଚ ଦ୍ୱାରା ଚିହ୍ନଟ ହୋଇଥିବା ନେତାମାନେ ହିଁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବେ। ସଭାରେ ଉପସ୍ଥିତ ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରହିଛନ୍ତି ଗୁଡାରି ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ବକ୍ସି, ରାୟଗଡା ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଜିଲ୍ଲା ପରିଷଦ ସଦସ୍ୟା ସନ୍ଧ୍ୟା ପୁଲାକା, ପ୍ରଶାନ୍ତ କୁଲେଶିକା, ବି. ତିରୁପତି, ଚନ୍ଦ୍ରକାନ୍ତ ସାମଲ, ପ୍ରବୀଣ କୁମାର, ସନ୍ତୋଷ କୁମାର ଦଲେଇ, ଲାଜନା ମାଝୀ ଏବଂ ଗଙ୍ଗାଧର କାତ୍ରିକା ପ୍ରମୁଖ ଉପସ୍ଥିତ ଥିଲେ ।ସମଗ୍ର କାର୍ଯ୍ୟକ୍ରମକୁ ବି. ତିରୁପତି ପରିଚାଳନା କରିଥିଲେ। ତେବେ ଏହି ଘୋଷଣା ପରେ ରାୟଗଡ଼ା ଜିଲ୍ଲାର ରାଜନୈତିକ ସମୀକରଣ କିଭଳି ବଦଳୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
What's Your Reaction?