ରାୟଗଡ଼ା ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ବାହାରିଲା ବିପୁଳ ଅର୍ଥ।
୯ଟି ହୁଣ୍ଡିରୁ ମିଳିଲା ୧ କୋଟି ୨୨ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା, ୩୨ ଗ୍ରାମ ସୁନା, ୧ କେଜି ୩୦୦ ଗ୍ରାମ ରୂପା ଏବଂ ୯ଟି ଦେଶର ବିଦେଶୀ ମୁଦ୍ରା ।
ରାୟଗଡ଼ା (ଓ ଏନ୍ ଟି) : ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ, ମା’ଙ୍କ ଦାନ ହୁଣ୍ଡିରୁ ବାହାରିଛି ବିପୁଳ ପରିମାଣର ଅର୍ଥରାଶି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିରର ୯ଟି ଦାନହୁଣ୍ଡି ଖୋଲାଯିବା ପରେ ନଗଦ ୧ କୋଟି ୨୨ ଲକ୍ଷରୁ ଅଧିକ ଟଙ୍କା ଆଦାୟ ହୋଇଛି।
କେବଳ ଟଙ୍କା ନୁହେଁ, ସୁନା, ରୂପା ସହିତ ୯ଟି ଦେଶର ବିଦେଶୀ ମୁଦ୍ରା ମଧ୍ୟ ମା’ଙ୍କ ଚରଣରେ ଅର୍ପଣ କରିଛନ୍ତି ଶ୍ରଦ୍ଧାଳୁ। ରାୟଗଡ଼ା ବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ମା’ ମଝିଘରିଆଣୀ। ସକାଳୁ ସଞ୍ଜ ଯାଏଁ ମନ୍ଦିରରେ ଲାଗି ରହୁଛି ଭକ୍ତଙ୍କ ଗହଳି। ଆଉ ନିଜର ମନସ୍କାମନା ପୂରଣ ହେବା ପରେ ମା’ଙ୍କ ଦାନ ହୁଣ୍ଡିରେ ଶ୍ରଦ୍ଧାଳୁମାନେ ଦାନ କରୁଛନ୍ତି ଅକାତର ଅର୍ଥ ଓ ଅଳଙ୍କାର। ପୂର୍ବାହ୍ଣ ୧୦ଟା ସମୟରେ ତହସିଲ କର୍ମଚାରୀ ଓ ପୋଲିସ ଉପସ୍ଥିତିରେ ମନ୍ଦିରର ୯ଟି ଯାକ ଦାନ ହୁଣ୍ଡି ଖୋଲାଯାଇଥିଲା। ୨୫୦ରୁ ଅଧିକ ସ୍ବେଚ୍ଛାସେବୀ ଏହି ଗଣତି କାର୍ଯ୍ୟରେ ସାମିଲ ହୋଇଥିଲେ। ହୁଣ୍ଡିରୁ ନଗଦ ୧ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ ଟଙ୍କା ବାହାରିଥିବା ବେଳେ, ଭକ୍ତମାନେ ଅନଲାଇନ୍ ମାଧ୍ୟମରେ ମଧ୍ୟ ୩ ଲକ୍ଷ ୯୭ ହଜାର ୨୫୧ ଟଙ୍କା ପ୍ରଦାନ କରିଛନ୍ତି। ସମୁଦାୟ ଦାନ ପରିମାଣ ୧ କୋଟି ୨୬ ଲକ୍ଷ ୨୬ ହଜାର ୮୭୪ ଟଙ୍କା ହୋଇଥିବା ଜଣାପଡିଛି। ଏହା ସହିତ ୩୨ ଗ୍ରାମ ସୁନା ଏବଂ ୧ କିଲୋ ୩୦୦ ଗ୍ରାମ ରୂପା ମଧ୍ୟ ହୁଣ୍ଡିରୁ ବାହାରିଛି। ମା’ଙ୍କ ମହିମା କେବଳ ଓଡ଼ିଶାରେ ସୀମିତ ନୁହେଁ। ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ ସମେତ ବିଦେଶରୁ ମଧ୍ୟ ଭକ୍ତମାନେ ଛୁଟି ଆସନ୍ତି। ଏଥର ହୁଣ୍ଡିରୁ ୯ଟି ଦେଶର ବିଦେଶୀ ମୁଦ୍ରା ମିଳିବା ଏହାର ସ୍ପଷ୍ଟ ପ୍ରମାଣ ଦେଉଛି। ମନ୍ଦିର ଟ୍ରଷ୍ଟର ସୂଚନା ଅନୁଯାୟୀ, ଆମେରିକା, କାନାଡା, ଅଷ୍ଟ୍ରେଲିଆ, ୟୁଏଇ, ନେପାଳ, କାତାର ଓ ଫିଲିପାଇନ୍ସ ଭଳି ଦେଶର ମୁଦ୍ରା ଦାନ ଆକାରରେ ମିଳିଛି। ଗତ ଜାନୁଆରୀ ୧୯ ତାରିଖରେ ହୋଇଥିବା ଗଣତିରେ ମଧ୍ୟ ୧ କୋଟି ୫ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଏବଂ ୩୦ ଗ୍ରାମ ସୁନା ବାହାରିଥିଲା। ସେହିପରି ଗତବର୍ଷ ଜୁଲାଇ ମାସରେ ମଧ୍ୟ ୧ କୋଟି ୪ ଲକ୍ଷରୁ ଅଧିକ ଟଙ୍କା ଆଦାୟ ହୋଇଥିଲା।
ଆଜିର ଏହି ଗଣତି ପ୍ରକ୍ରିୟା ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡ଼ିକାଙ୍କ ସମେତ ଅନ୍ୟ କମିଟି ସଭ୍ୟ ଏବଂ ଓଡିଶା ଗ୍ରାମୀଣ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଓ ଶାଖା ପରିଚାଳକଙ୍କ ତତ୍ତ୍ୱାବଧାନରେ ସୁଚାରୁ ରୂପେ ସମ୍ପନ୍ନ ହୋଇଛି। ସଂଗୃହିତ ସମସ୍ତ ଅର୍ଥରାଶିକୁ ଓଡିଶା ଗ୍ରାମୀଣ ବ୍ୟାଙ୍କରେ ମା’ ମଝିଘରିଆଣି ଟ୍ରଷ୍ଟ ନାମରେ ଥିବା ଖାତାରେ ଜମା କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।
What's Your Reaction?