ରାୟଗଡ଼ାର ଦୁର୍ଗମ ପିଭିଟିଜି ଅଞ୍ଚଳକୁ ପକ୍କା ରାସ୍ତା ସଂଯୋଗ, ଏମସିଏଲ୍ ସହ ହେଲା ଗୁରୁତ୍ୱପୂର୍ଣ୍ଣ ଏମଓୟୁ।
ରାୟଗଡ଼ା (ଓ ଏନ୍ ଟି) : ରାୟଗଡ଼ା ଜିଲ୍ଲା ପ୍ରଶାସନର ‘ଆମ ରାସ୍ତା’ ପଦକ୍ଷେପକୁ ଏକ ବଡ଼ ସଫଳତା ମିଳିଛି। ଜିଲ୍ଲାର ଦୁର୍ଗମ ପିଭିଟିଜି ଅଞ୍ଚଳରେ ସମସ୍ତ ଋତୁରେ ଚଳାଚଳ ଯୋଗ୍ୟ ପକ୍କା ରାସ୍ତା ନିର୍ମାଣ ପାଇଁ ମହାନଦୀ କୋଲଫିଲ୍ଡ୍ସ ଲିମିଟେଡ୍ ଏବଂ ରାୟଗଡ଼ା ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଏହି ପ୍ରକଳ୍ପ ପାଇଁ ଏମସିଏଲ୍ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପାଣ୍ଠିରୁ ୧୦,୨୯,୩୬,୨୦୦ ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ମୁନିଗୁଡ଼ା ବ୍ଲକର ୮ଟି ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ପାଇଁ ଏହି ଅର୍ଥ ବ୍ୟୟ କରାଯିବ। ମୁନିଗୁଡ଼ା ବ୍ଲକର ସିବାପାଦର ଏବଂ ମୁନିଖୋଲ ଜିପି ଅନ୍ତର୍ଗତ କେସାରାପାଡ଼ି, କୋଟା, ସୁତାଙ୍ଗୁନି, ବାଦାବାଡ଼ା, ଗାରାଟା, ମଣ୍ଡା, ତ୍ରାହାଳି ଏବଂ ସର୍ଗିପାଇ ଗ୍ରାମର ୫୬୪ ଜଣ ପିଭିଟିଜି ବାସିନ୍ଦା ଏହାଦ୍ୱାରା ସିଧାସଳଖ ଉପକୃତ ହେବେ। ‘ଆମ ରାସ୍ତା’ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଷମକଟକ, ଗୁଣୁପୁର, କଲ୍ୟାଣସିଂହପୁର ଏବଂ ମୁନିଗୁଡ଼ା ବ୍ଲକର ଦୁର୍ଗମ ପିଭିଟିଜି ବସତିଗୁଡ଼ିକୁ ସମସ୍ତ ଋତୁରେ ଚଳାଚଳ ଉପଯୋଗୀ ପକ୍କା ରାସ୍ତା ମାଧ୍ୟମରେ ମୁଖ୍ୟ ରାସ୍ତା ସଞ୍ଜୋଗ ସହିତ ଯୋଡ଼ିବା। ଏହାଦ୍ୱାରା ଆମ୍ବୁଲାନ୍ସ ଯାତାୟାତ, ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା, ଗ୍ରାମାଞ୍ଚଳ ବଜାର ସଂଯୋଗ, ମୋବାଇଲ୍ ନେଟୱାର୍କ ସଂଯୋଗ, ପିଏମ୍ ଜନମନ୍ ଗୃହ ନିର୍ମାଣ ସାମଗ୍ରୀ ପରିବହନ ଏବଂ ବିଭିନ୍ନ ସରକାରୀ ସେବାର ସୁବିଧା ସହଜ ହୋଇପାରିବ।
ମୁନିଗୁଡ଼ା ବ୍ଲକ ପାଇଁ ପ୍ରସ୍ତୁତ ଡିପିଆର୍ ଅନୁଯାୟୀ, ୧୦.୩୦ କିଲୋମିଟର ପକ୍କା ରାସ୍ତା, ୨୪ଟି କଲଭର୍ଟ ଏବଂ ୨,୯୮୦ ମିଟର ଡ୍ରେନେଜ୍ ନିର୍ମାଣ କରାଯିବ। ପାହାଡ଼ିଆ ଏବଂ ଜଳସ୍ରୋତ ପ୍ରବଣ ଅଞ୍ଚଳରେ ବର୍ଷା ଦିନେ ମଧ୍ୟ ରାସ୍ତା ସଂଯୋଗ ବଜାୟ ରଖିବା ଏବଂ ଜଳଜମି ସମସ୍ୟାର ସମାଧାନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ସମଗ୍ର ଡିପିଆର୍ ଅନୁଯାୟୀ, ମୋଟ ୪୫ଟି ରାସ୍ତା ପ୍ରକଳ୍ପ ପ୍ରସ୍ତାବ କରାଯାଇଛି, ଯେଉଁଥିରେ ବିଷମକଟକରେ ୧୧ଟି, ଗୁଣୁପୁରରେ ୧୦ଟି, କଲ୍ୟାଣସିଂହପୁରରେ ୧୬ଟି ଓ ମୁନିଗୁଡ଼ାରେ ୮ଟି ପ୍ରକଳ୍ପ ରହିଛି। ଏହି ସମସ୍ତ ପ୍ରସ୍ତାବରେ ପ୍ରାୟ ୮୨.୮୨ କିଲୋମିଟର ରାସ୍ତା ଏବଂ ୬,୯୫୮ ମିଟର ଡ୍ରେନେଜ୍ ନିର୍ମାଣ ଅନ୍ତର୍ଭୁକ୍ତ ଥିବାବେଳେ ମୋଟ ଆକଳନ ମୂଲ୍ୟ ୫୬.୩୪ କୋଟି ଟଙ୍କା ଅଟେ। ଜିଲ୍ଲା ପ୍ରଶାସନ ଏବଂ ଏମସିଏଲ୍ର ଏହି ମିଳିତ ପ୍ରୟାସ ଦ୍ୱାରା ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଏବଂ ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ ଏହା ଏକ ବଡ଼ ମାଇଲଖୁଣ୍ଟ ସାଧିତ କରିବ ବୋଲି ଆଶା କରାଯାଉଛି।
What's Your Reaction?