ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି, ସରକାରୀ କଲେଜ ଅଧ୍ୟକ୍ଷଙ୍କ ନିଯୁକ୍ତି କ୍ଷମତା ପ୍ରତ୍ୟାହୃତ
ଓଡ଼ିଶା (ଓ ଏନ୍ ଟି) : ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବଡ଼ ପ୍ରଶାସନିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟର ସରକାରୀ କଲେଜଗୁଡ଼ିକରେ ଅଣ-ଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି କ୍ଷମତାକୁ ନେଇ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି କଲେଜର ଅଧ୍ୟକ୍ଷ (Principal) ମାନଙ୍କ ପାଖରେ ଆଉ ନିଯୁକ୍ତି କ୍ଷମତା ରହିବ ନାହିଁ।
ପୂର୍ବରୁ ସରକାରୀ କଲେଜଗୁଡ଼ିକରେ ନନ୍-ଟିଚିଂ ଷ୍ଟାଫଙ୍କ ନିଯୁକ୍ତି ପାଇଁ ଯେଉଁ କ୍ଷମତା ଅଧ୍ୟକ୍ଷଙ୍କ ପାଖରେ ଥିଲା, ତାହାକୁ ଏବେ ପ୍ରତ୍ୟାହାର କରି ନିଆଯାଇଛି। ଏହି ନିଯୁକ୍ତି କ୍ଷମତା ଏବେ 'ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ' (Regional Directors of Education)ଙ୍କୁ ପ୍ରଦାନ କରାଯାଇଛି। ସେମାନେ ଏବେ ସଂପୃକ୍ତ କଲେଜ ଓ ଶିକ୍ଷକ ଶିକ୍ଷା ଅନୁଷ୍ଠାନ ପାଇଁ ନିଯୁକ୍ତି କର୍ତ୍ତୃପ୍ୟ ଭାବେ କାର୍ଯ୍ୟ କରିବେ। ଏହି ନିୟମ ଅଣ-କ୍ୟାଡର ଗ୍ରୁପ୍-ବି (Group-B), ଗ୍ରୁପ୍-ସି (Group-C) ଏବଂ ଗ୍ରୁପ୍-ଡି (Group-D) ପଦବୀ ପାଇଁ ଲାଗୁ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ, ଏହି ବ୍ୟବସ୍ଥା ତୁରନ୍ତ ପ୍ରଭାବରୁ ଲାଗୁ କରାଯାଇଛି। ବିଭାଗର ମତରେ, ରାଜ୍ୟର ସରକାରୀ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ, ସମାନ ଏବଂ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହି ନୂତନ ଆଦେଶ ପୂର୍ବରୁ ଏହି ବିଷୟରେ ଜାରି ହୋଇଥିବା ସମସ୍ତ ପୂର୍ବତନ ନିୟମାବଳୀକୁ ଅତିକ୍ରମ କରି କାର୍ଯ୍ୟକାରୀ ହେବ। ତେବେ ଏହି ପରିବର୍ତ୍ତନର ସଠିକ୍ କାରଣ ସମ୍ପର୍କରେ ବିଭାଗ ପକ୍ଷରୁ ବିଶେଷ କିଛି ସୂଚନା ଦିଆଯାଇନାହିଁ। ଏହି ପଦକ୍ଷେପ ଦ୍ୱାରା ନିଯୁକ୍ତି ପ୍ରକ୍ରିୟାରେ ଏକକ ପ୍ରଶାସନିକ ଢାଞ୍ଚା ବଜାୟ ରହିବ ବୋଲି ଆଶା କରାଯାଉଛି।
What's Your Reaction?