ଗୋପାଳପୁର-ରାୟଗଡ଼ା ରେଳ ଲାଇନ୍ର ପୁନଃ ସର୍ବେକ୍ଷଣ ପାଇଁ ଦାବି ।
ରାୟଗଡ଼ା (ଓ ଏନ୍ ଟି) : ପ୍ରସ୍ତାବିତ ଗୋପାଳପୁର-ରାୟଗଡ଼ା ନୂତନ ରେଳ ଲାଇନ୍ର ପୁନଃ ସର୍ବେକ୍ଷଣ ଦାବି କରି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ପତ୍ର ଲେଖିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା। ଗୁଡ଼ାରି ଅଞ୍ଚଳ ଦେଇ ଏହି ରେଳ ଲାଇନ୍ର ସଂଯୋଗୀକରଣ ପାଇଁ ସାଂସଦ ନିଜ ଚିଠିରେ ଅନୁରୋଧ କରିଛନ୍ତି। ଦୀର୍ଘ ଦିନ ଧରି ରେଳ ସେବାରୁ ବଞ୍ଚିତ ରହିଛି ଗୁଡ଼ାରି ଏବଂ ଏହାର ଆଖପାଖ ଅଞ୍ଚଳ। ରେଳ ଯୋଗାଯୋଗ ଅଭାବରୁ ଏହି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ଦେଢ଼ ଲକ୍ଷ (୧.୫ ଲକ୍ଷ) ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ମାନ୍ୟବର ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଗୋପାଳପୁର-ରାୟଗଡ଼ା ନୂତନ ରେଳ ପ୍ରକଳ୍ପର ଏକ ରି-ଆଲାଇନ୍ମେଣ୍ଟ ସର୍ବେକ୍ଷଣ ପାଇଁ ମଞ୍ଜୁରୀ ଲୋଡ଼ିଛନ୍ତି।
ସାଂସଦ ଶ୍ରୀ ଉଲାକା ନିଜ ପତ୍ରରେ ଏକ ବିକଳ୍ପ ମାର୍ଗର ପ୍ରସ୍ତାବ ରଖିଛନ୍ତି। ଆଖୁସିଂ–ନାଇରା–ଗୁଡ଼ାରି–ବାଙ୍କିଲି କିମ୍ବା ଦୁର୍ଗି ଦେଇ ଏକ ନୂଆ ଲାଇନ୍ ପ୍ରସ୍ତୁତ କରିବାକୁ ସେ ଅନୁରୋଧ କରିଛନ୍ତି, ଯାହାଦ୍ୱାରା ଏହା ପ୍ରସ୍ତାବିତ ଗୁଣପୁର–ଥେରୁବାଲି ରେଳ ଲାଇନ୍ ସହିତ ସିଧାସଳଖ ଯୋଡ଼ି ହୋଇପାରିବ। ଏହି ଦିଗରେ ତର୍ଜମା କରିବା ପାଇଁ ସେ ଦାବି କରିଛନ୍ତି। ଗୁଡ଼ାରି ଅଞ୍ଚଳକୁ ରେଳ ସଂଯୋଗ ହେଲେ, ଏହା କେବଳ ଯାତାୟାତ ସମସ୍ୟା ଦୂର କରିବ ନାହିଁ, ବରଂ ସ୍ଥାନୀୟ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା, ବଜାର ଏବଂ ନୂତନ ନିଯୁକ୍ତି ସୁଯୋଗ ପ୍ରଦାନ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିବ। ଏହି ଦୀର୍ଘଦିନର ନ୍ୟାୟୋଚିତ ଦାବିକୁ ରେଳ ବୋର୍ଡ ସକାରାତ୍ମକ ଭାବେ ବିଚାର କରିବ ବୋଲି ସାଂସଦ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି।
What's Your Reaction?