ରାୟଗଡ଼ା ଟ୍ରକ୍ ମାଲିକ ସଂଘରେ ୬୦ କୋଟିର ଘୋଟାଳା, ଆଇନ ଜାଲରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ।
ରାୟଗଡ଼ା (ଓ ଏନ ଟି) : ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କୁ ଲାଗିଛି ଶକ୍ତ ଧକ୍କା। ରାୟଗଡ଼ା ଟ୍ରକ୍ ମାଲିକ ସଂଘରେ ହୋଇଥିବା ବହୁ କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ଟାଉନ୍ ଥାନା ପୁଲିସ ବିଧିବଦ୍ଧ ଭାବେ ମାମଲା ରୁଜୁ କରିଛି। ଦୀର୍ଘ ୨୦ ବର୍ଷ ଧରି ବିଭିନ୍ନ ଆଳ ଦେଖାଇ ସଂଘରୁ ପ୍ରାୟ ୬୦ କୋଟି ଟଙ୍କା ହରିଲୁଟ୍ ହୋଇଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। ରାୟଗଡ଼ା ଟ୍ରକ୍ ମାଲିକ ସଂଘରେ ସାମ୍ନାକୁ ଆସିଛି ବଡ଼ ଧରଣର ଆର୍ଥିକ ଘୋଟାଳା। ଆଉ ଏହି ଘଟଣାରେ ଅଡୁଆରେ ପଡ଼ିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ଟ୍ରକ୍ ମାଲିକ ସଂଘର ଆର୍ଥିକ ଅନିୟମିତତା ନେଇ ଦିଆଯାଇଥିବା ଅଭିଯୋଗକୁ ଟାଉନ୍ ଥାନା ପୁଲିସ ଗତକାଲି ପଞ୍ଜୀକୃତ କରିଛି। ଏହି ମାମଲାରେ ଭାସ୍କର ରାଓଙ୍କ ସମେତ ତାଙ୍କ ପୁଅ ଏନ୍. କ୍ରିଷ୍ଣା ଚୈତନ୍ୟ, ସଂଘର ପୂର୍ବତନ ସଭାପତି ବି. ମନ୍ମଧା ରାଓ ଏବଂ କୋଷାଧ୍ୟକ୍ଷ ଜି. କ୍ରିଷ୍ଣାଙ୍କ ନାଁରେ ମଧ୍ୟ ସଙ୍ଗୀନ ଦଫାରେ ଏଫ୍.ଆଇ.ଆର୍ ଦର୍ଜ ହୋଇଛି।
ଅଭିଯୋଗ ଅନୁଯାୟୀ, ଗତ ୨୦୦୩ ମସିହାରୁ ୨୦୨୩ ମସିହା ମଧ୍ୟରେ ସଂଘରେ ଏହି ବ୍ୟାପକ ଲୁଟ୍ ହୋଇଛି। ଭାସ୍କର ରାଓଙ୍କ ପ୍ରଚ୍ଛଦପଟ୍ଟରେ ଏବଂ ବିନା କୌଣସି ବୈଧ ପଞ୍ଜୀକରଣରେ ସଂଘ ପରିଚାଳିତ ହେଉଥିଲା। ୨୦୦୩ ମସିହାରେ ନକ୍ସଲ ସଂଗଠନକୁ ଚାନ୍ଦା ଦେବା ନାମରେ ପ୍ରତି ଟ୍ରକ୍ ମାଲିକଙ୍କ ଠାରୁ ୫ ହଜାର ଟଙ୍କା ଆଦାୟ କରାଯାଇଥିଲା। ଏହା ବ୍ୟତୀତ ଟ୍ରକ୍ର ଲୋଡିଂ ଓ ଅନ୍ଲୋଡିଂ ବାବଦକୁ ମଧ୍ୟ ଏକ ହଜାର ଟଙ୍କା ଲେଖାଏଁ ଜୋର ଜବରଦସ୍ତ ଆଦାୟ କରାଯାଉଥିଲା। ଏମିତି ବିଭିନ୍ନ ଆଳ ଦେଖାଇ ପାଖାପାଖି ୬୦ କୋଟି ଟଙ୍କା ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନର ଟ୍ରକ୍ ମାଲିକ ସଂଘ ସଭାପତି ତଥା ବରିଷ୍ଠ ବିଜେପି ସଂଗଠକ ୟାଲା ଭେଙ୍କେଟେଶ୍ବର ରାଓ ଓରଫ୍ କୋଣ୍ଡା ବାବୁ ଠିକ୍ ଦୁଇ ବର୍ଷ ତଳେ ଥାନାରେ ଏହି ଅଭିଯୋଗ କରିଥିଲେ। ପୂର୍ବରୁ ପୁଲିସ ଏହି ଘଟଣାର କେବଳ ଏକ କେସ୍ ଡାଇରୀ କରି ଅନୁଧ୍ୟାନ କରୁଥିବା ବେଳେ, ବର୍ତ୍ତମାନ ଏହା ବିଧିବଦ୍ଧ ଏତଲାରେ ପରିଣତ ହୋଇଛି। ଅନ୍ୟପଟେ ରାଜ୍ୟ ସରକାର ଏହି ବହୁ କୋଟି ଟଙ୍କାର ଆର୍ଥିକ ଘୋଟାଳାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାନ୍ତୁ ବୋଲି ଅଭିଯୋଗକାରୀ କୋଣ୍ଡା ବାବୁ ଦୃଢ଼ ଦାବି କରିଛନ୍ତି। ତେବେ ମାମଲା ରୁଜୁ ହେବା ପରେ ଏଯାଏଁ ଏହି ଘଟଣାରେ ଏନ୍. ଭାସ୍କର ରାଓଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପୁଲିସର ତଦନ୍ତ ଆଗକୁ କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର।
What's Your Reaction?